ଓଡିଶା

Macron slams Trump: ଟ୍ରମ୍ପଙ୍କୁ ମାକ୍ରୋନଙ୍କ କଡ଼ା ସମାଲୋଚନା, “କଥା ବଦଳାଇବା ବନ୍ଦ କର”

ଇରାନ ଯୁଦ୍ଧ ପ୍ରସଙ୍ଗରେ ଟ୍ରମ୍ପଙ୍କ ଅସ୍ଥିର ନୀତିକୁ ନେଇ ମାକ୍ରୋନ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବାରମ୍ବାର ନିଷ୍ପତ୍ତି ବଦଳାଇବା ବିଶ୍ୱରେ ଅସ୍ପଷ୍ଟତା ସୃଷ୍ଟି କରୁଛି। ଏହି ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟ ସଙ୍କଟ ଆଉ ଗୁରୁତର ହେବାର ଆଶଙ୍କା ବଢ଼ିଛି।

 

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏବେ ବିଶ୍ୱର ଦୁଇ ପ୍ରମୁଖ ଶକ୍ତି ଆମେରିକା ଏବଂ ଫ୍ରାନ୍ସ ମଧ୍ୟରେ ବାକଯୁଦ୍ଧ ତେଜିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ଥିର ନୀତିକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ। ଟ୍ରମ୍ପଙ୍କ ବାରମ୍ବାର ନିଷ୍ପତ୍ତି ବଦଳାଇବା ଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ବିଭ୍ରାଟ ସୃଷ୍ଟି ହେଉଥିବା ମାକ୍ରୋନ କହିଛନ୍ତି।

ଦକ୍ଷିଣ କୋରିଆ ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ, ଡୋନାଲ୍ଡ ଟ୍ରମ୍ପଙ୍କୁ ପରୋକ୍ଷରେ ‘ଗମ୍ଭୀର’ ହେବାକୁ ପରାମର୍ଶ ଦେଇଛନ୍ତି। ଇରାନ ଯୁଦ୍ଧ ଏବଂ ନାଟୋ (NATO) ପ୍ରସଙ୍ଗରେ ଟ୍ରମ୍ପଙ୍କ ବିରୋଧାଭାଷ ମନ୍ତବ୍ୟକୁ ନେଇ ମାକ୍ରୋନ କହିଛନ୍ତି, “ଯଦି ଆପଣ ଗମ୍ଭୀର ହେବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ନିଜ କଥା ବଦଳାନ୍ତୁ ନାହିଁ। ହୁଏତ ଆପଣଙ୍କର ପ୍ରତିଦିନ ଏତେ କଥା କହିବା ଉଚିତ୍ ନୁହେଁ। ଆପଣଙ୍କର ଏହି ଦ୍ୱନ୍ଦ୍ୱାତ୍ମକ ଆଭିମୁଖ୍ୟ ନାଟୋ ଭଳି ସାମରିକ ମେଣ୍ଟକୁ ଦୁର୍ବଳ କରୁଛି।”

ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ନାଟୋ ସଦସ୍ୟ ଦେଶମାନେ ସମର୍ଥନ ନ କରିବାରୁ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ନାଟୋକୁ ଏକ ‘କାଗଜ ବାଘ’ ବୋଲି କହିବା ସହ ଆମେରିକା ଏହି ମେଣ୍ଟରୁ ଓହରିବା ବିଷୟରେ ଚିନ୍ତା କରୁଥିବା କହିଛନ୍ତି।

ମାକ୍ରୋନଙ୍କ କହିବା ଅନୁସାରେ, ବଳପୂର୍ବକ ହର୍ମୁଜ ପ୍ରଣାଳୀକୁ ମୁକ୍ତ କରିବା ଏକ ‘ଅବାସ୍ତବ’ ଯୋଜନା। ଇରାନର କ୍ଷେପଣାସ୍ତ୍ର କ୍ଷମତା ଏବଂ ଉପକୂଳ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏହା ବିପଦଜନକ ହୋଇପାରେ। ମାକ୍ରୋନ ସ୍ପଷ୍ଟ କରିଛନ୍ତି ଯେ, କେବଳ ଯୁଦ୍ଧ ବିରତି ଏବଂ ଆଲୋଚନା ମାଧ୍ୟମରେ ହିଁ ଏହି ସଙ୍କଟର ସମାଧାନ ହୋଇପାରିବ।

ଆମେରିକା ପକ୍ଷରୁ ଇରାନର ସାମରିକ ଶକ୍ତି ଶେଷ ହୋଇଥିବା ଦାବି କରାଯାଉଥିଲେ ମଧ୍ୟ, ବାସ୍ତବରେ ଇରାନ ଏବେ ବି ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ରହିଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ଓ ଗ୍ୟାସ୍ ଯୋଗାଣ ଏହି ବାଟ ଦେଇ ହୋଇଥାଏ। ତେଣୁ ଏହି ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!