Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

#ହଜାର ହଜାର ସଂଖ୍ୟାରେ ସୁରଟ ଛାଡୁଛନ୍ତି ଲୋକେ, ଉଧନା ଷ୍ଟେସନରେ ଅସମ୍ଭାଳ ଭିଡ,#

ସୁରଟ: ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ଓ ଦେଶରେ ଦେଖା ଦେଇଥିବା ଏଲପିଜି ସଂକଟ କାରଣରୁ ଗୁଜରାଟରେ ପରିସ୍ଥିତି ଜଟିଳ ରୂପ ଧାରଣ କରିଛି। ରାଜ୍ୟର ଔଦ୍ୟୋଗିକ ସହର ସୁରଟରେ କାମଧନ୍ଦା ପ୍ରଭାବିତ ହେବା ଯୋଗୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଏବେ ଘରମୁହାଁ ହୋଇଛନ୍ତି। ଏହିକ୍ରମରେ ରବିବାର ଉଧନା ରେଳ ଷ୍ଟେସନକୁ ଏକକାଳୀନ ଶହଶହ ଯାତ୍ରୀ ଚାଲିଆସିବା ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି। ଉତ୍ତପ୍ରଦେଶ ଓ ବିହାର ଯାଉଥିବା ଟ୍ରେନମାନଙ୍କରେ ସିଟ୍ ପାଇବା ପାଇଁ ଲୋକଙ୍କ ଉଦ୍ୟମଯୋଗୁ ଏଭଳି ଅବସ୍ଥା ଦେଖା ଦେଇଛି।

ଗ୍ୟାସ୍ ଅଭାବ ଯୋଗୁ ସୁରଟ ସହରରେ କାମଧନ୍ଦା ବନ୍ଦ ହୋଇଯାଇଛି। ଏହାଛଡା ଗ୍ରୀଷ୍ମବକାଶ ଆରମ୍ଭ ହେବା ଯୋଗୁ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଛନ୍ତି। ରନ୍ଧନ ଗ୍ୟାସ୍ ମିଳୁନଥିବାରୁ ସହରରେ ଲୋକେ ଖାଇବା ପିଇବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଣୁ ବିନା କାମରେ ହାତବାନ୍ଧି ବସିବା ଅପେକ୍ଷା ଲୋକେ ଘରକୁ ଫେରିଯିବା ଉଚିତ ମନେ କରୁଛନ୍ତି। ଏଣୁ ରବିବାର ଏକକାଳୀନ ହଜାର ହଜାର ଲୋକେ ଉଧନା ଷ୍ଟେସନ ପହଞ୍ଚିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ପୂର୍ବାହ୍ନ ୧୧ଟା ୩୦ମିନିଟରେ ଉଧନା-ହସନପୁର ଟ୍ରେନରେ ଯାତ୍ରୀଙ୍କୁ ଶୃଙ୍ଖଳିତ ଚଢାଇବା ପାଇଁ ଧାଡି ବନ୍ଧା ଯାଇଥିଲା। ଏହି ସମୟରେ କିଛି ଯାତ୍ରୀ ଲାଇନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏଣୁ ପରିସ୍ଥିତି ବିଗିଡି ଯିବାରୁ ରେଳବାଇ ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ଲାଠି ଚଳାଇବାକୁ ପଡିଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଲୁହା ବାରିକେଡ ପାର ହେଉଥିବା ଦେଖାଯାଇଛି। ରେଳବାଇ ଅଧିକାରୀଙ୍କ ଅନୁସାରେ ମଧ୍ୟାହ୍ନ ସୁଦ୍ଧା ୬ଟି ଟ୍ରେନ ମାଧ୍ୟମରେ ୨୧,୦୦୦ରୁ ଅଧିକ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ଅଭିମୁଖେ ପଠାଯାଇଥିଲା।

ଏହା ପରେ ବି ଯାତ୍ରୀଭୀଡ ଏତେ ଥିଲା ଯେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ଅନୁଶାସନରେ ରହିବାକୁ ନିବେଦନ କରାଯାଇଥିଲା। ଏହା ସତ୍ତ୍ୱେ ପରିସ୍ଥିତି ବିଗିଡିବାରୁ ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିଥିଲା। ରେଳବାଇ ଅଧିକାରୀଙ୍କ ଅନୁସାରେ ଗ୍ରୀଷ୍ମ ଛୁଟି ସମୟରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ। ହେଲେ ଏଥର ଏଲପିଜି ସଂକଟ କାରଣରୁ ପ୍ରବାସୀ ଶ୍ରମିକ ପଳାୟନ କରିବା ପରିସ୍ଥିତିକୁ ଜଟିଳ କରିଛି। ଏଣୁ ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟା ବହୁଗୁଣିତ ହେବାରୁ ଏପରି ପରିସ୍ଥିତି ଉପୁଜିଛି। ତେବେ ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ରେଳବାଇ ପ୍ରଶାସନ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ସଞ୍ଚାଳନ କରୁଛନ୍ତି।

Tags: jantadarbar

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!