Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

*ସୂଚନା*

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପ୍ଲାଣ୍ଟର ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ୭.୧ ଏମଟିପିଏକୁ ବୃଦ୍ଧି ପାଇଁ ଜନଶୁଣାଣି

– ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନା ସମ୍ପ୍ରସାରଣ ପୂର୍ବରୁ ପରିବେଶ ମଞ୍ଜୁରୀ ପାଇଁ ଢେଙ୍କାନାଳଠାରେ ଜନ ଶୁଣାଣି ଶେଷ
– ପ୍ରସ୍ତାବିତ ସମ୍ପ୍ରସାରଣକୁ ନେଇ ମତ ରଖିଲେ ସ୍ଥାନୀୟ ଜନସାଧାରଣ
– ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପରିବେଶ ଅନୁକୂଳ ଟେକ୍ନୋଲୋଜୀ ଏବଂ ସିଏସ୍‌ଆର୍ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ଙ୍କ ତତ୍ତ୍ୱାବଧାନରେ ଜୁନ୍ ୨୩ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା କୁସୁପଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଟାପ ଗ୍ରାମ ଠାରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପାଇଁ ଜନ ଶୁଣାଣି ସଫଳତାର ସହ ଶେଷ ହୋଇଛି। ଏଥିରେ ଢେଙ୍କାନାଳର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଏଡିଏମ୍‌) (ରାଜସ୍ୱ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅନୁଗୋଳର ଆଞ୍ଚଳିକ ଅଧିକାରୀ ଡଃ ରମେଶ କୁମାର ଏକ୍କାଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ପ୍ରକ୍ରିୟାରେ ସ୍ଥାନୀୟ ବାସିନ୍ଦା, ଜନପ୍ରତିନିଧି ଏବଂ ବିଭିନ୍ନ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।

ଜନ ଶୁଣାଣି ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ବରିଷ୍ଠ ପ୍ରତିନିଧି ପ୍ରକଳ୍ପ ଓ ନିର୍ମାଣ ବିଭାଗ ମୁଖ୍ୟ ଶ୍ରୀ ବିଭାସ ପଟ୍ଟନାୟକ ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପର ବିସ୍ତୃତ ବିବରଣୀ ଉପସ୍ଥାପନ କରିବା ସହ କମ୍ପାନୀର ଦୀର୍ଘସ୍ଥାୟୀ ଉପକ୍ରମ, ପରିବେଶ ପରିଚାଳନା ବ୍ୟବସ୍ଥା ଏବଂ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କମ୍ପାନୀର କର୍ପୋରେଟ ସେବା ବିଭାଗ ମୁଖ୍ୟ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଉପସ୍ଥିତ ଲୋକମାନଙ୍କ ମତାମତ ଉପରେ କମ୍ପାନୀର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।

ବର୍ତ୍ତମାନ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ ବାର୍ଷିକ ୫.୬ ମିଲିୟନ ଟନ୍ (ଏମଟିପିଏ) ଅଶୋଧିତ ଇସ୍ପାତ (କ୍ରୁଡ୍ ଷ୍ଟିଲ୍‌) ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସମ୍ପୂର୍ଣ୍ଣ ସମନ୍ୱିତ ଇସ୍ପାତ କାରଖାନା ପରିଚାଳନା କରୁଛି। ପ୍ରସ୍ତାବିତ ସମ୍ପ୍ରସାରଣ ଦ୍ୱାରା ଏହାର ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ ୭.୧ ମିଲିୟନ ଟନକୁ ବୃଦ୍ଧି ପାଇବ ଏବଂ ପ୍ରସ୍ତୁତ ଇସ୍ପାତ (ଫିନିସ୍‌ଡ ଷ୍ଟିଲ୍‌) ଉତ୍ପାଦନ କ୍ଷମତା ବାର୍ଷିକ ୮.୩ ମିଲିୟନ ଟନକୁ ବୃଦ୍ଧି ପାଇବ। ଏହି ସମ୍ପ୍ରସାରଣ ଏକ ପ୍ରମୁଖ ଇସ୍ପାତ ଉତ୍ପାଦନ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ।

ଦୀର୍ଘସ୍ଥାୟୀତ୍ୱ ଏବଂ ଦକ୍ଷ ସମ୍ବଳ ପରିଚାଳନାକୁ ସମ୍ପ୍ରସାରଣର ଡିଜାଇନ୍‌ରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରକଳ୍ପରେ ‘ଜିରୋ ଏଫ୍ଲୁଏଣ୍ଟ ଡିସଚାର୍ଜ’ (ଜେଡ୍‌ଇଡି) ବା ଶୂନ୍ୟ ବର୍ଜ୍ୟଜଳ ନିଷ୍କାସନ ଆଭିମୁଖ୍ୟ ଜାରି ରହିବ, ଯଦ୍ୱାରା କାରଖାନାରୁ ନିର୍ଗତ ସମସ୍ତ ବର୍ଜ୍ୟଜଳକୁ ରିସାଇକ୍ଲିଂ ବା ପୁନଃପ୍ରକ୍ର୍ରିୟାକରଣ କରି ପ୍ଲାଣ୍ଟ ମଧ୍ୟରେ ହିଁ ପୁନଃ ବ୍ୟବହାର କରାଯିବ। ଏହାସହ, ପରିବେଶ ପ୍ରଦୂଷଣ ରୋକିବା ଓ ଦକ୍ଷ ଶକ୍ତି ପରିଚାଳନା ପାଇଁ କମ୍ପାନୀ ଉନ୍ନତ ପ୍ରଯୁକ୍ତିବିଦ୍ୟା ଆପଣାଇବ।
ପ୍ରଦୂଷଣ ମାତ୍ରା ଅନୁମୋଦିତ ସୀମା ମଧ୍ୟରେ ରଖିବା ସୁନିଶ୍ଚିତ କରାଯିବ। ପ୍ଲାଣ୍ଟର ପରିବେଶ ପ୍ରଦର୍ଶନକୁ ମନିଟର କରିବା ପାଇଁ କଣ୍ଟିନିଅସ୍ ଏମିସନ ମନିଟରିଂ ସିଷ୍ଟମ (ସିଇଏମ୍‌ଏସ୍‌) ଏବଂ କଣ୍ଟିନିଅସ୍ ଆମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ସିଷ୍ଟମ (ସିଏଏକ୍ୟୁଏମ୍‌ଏସ୍‌) ଭଳି ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି।

ଏହି ପ୍ରସ୍ତାବିତ ସମ୍ପ୍ରସାରଣରେ ସର୍କୁଲାର ଇକୋନୋମିର ଅବଧାରଣାକୁ କାର୍ଯ୍ୟକାରୀ କରାଯିବ, ଯେପରିକି ଉତ୍ପାଦନ ପ୍ରକ୍ରିୟାରୁ ବାହାରୁଥିବା ଗ୍ୟାସର ଅଧିକ ଦକ୍ଷ ଉପଯୋଗ, ସ୍ଲାଗ୍ ପ୍ରୋସେସିଂ ପ୍ଲାଣ୍ଟ, ମେଟାଲ୍ ରିକଭରୀ, ୱେଷ୍ଟ ହିଟ୍ ରିକଭରୀ ପ୍ଲାଣ୍ଟ ଏବଂ ଶିଳ୍ପଭିତ୍ତିକ ଉପଜାତ ଦ୍ରବ୍ୟର ପୁନଃଚକ୍ରଣ ବୃଦ୍ଧି। ଏହି ସମ୍ପ୍ରସାରଣ ଫଳରେ କମ୍ପାନୀର ଶକ୍ତି ଦକ୍ଷତା ବୃଦ୍ଧି ହେବା ସହ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇ କାର୍ବନମୁକ୍ତ (ଡିକାର୍ବନାଇଜେସନ) ଲକ୍ଷ୍ୟ ହାସଲ କରିବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

ଏହି ପ୍ରକଳ୍ପ ମୁଖ୍ୟତଃ ଏବେକାର ପ୍ଲାଣ୍ଟ ପରିସର ମଧ୍ୟରେ ହିଁ କାର୍ଯ୍ୟକାରୀ କରାଯିବ। ପ୍ଲାଣ୍ଟର ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କରାଯାଇଥିବା ପରିବେଶ ପ୍ରଭାବ ଆକଳନର ଫଳାଫଳରୁ ଜଣାପଡ଼ିଛି ଯେ, ବାୟୁ, ଜଳ, ଶବ୍ଦ ଏବଂ ମୃତ୍ତିକାର ଗୁଣବତ୍ତା ନିୟାମକ ସୀମା ମଧ୍ୟରେ ରହିଛି। ନିର୍ମାଣ ଏବଂ ପରିଚାଳନା ସମୟରେ ପରିବେଶ ଉପରେ ପଡ଼ୁଥିବା ଯେକୌଣସି ପ୍ରଭାବକୁ ହ୍ରାସ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ସମ୍ପ୍ରସାରଣ ପ୍ରକଳ୍ପ ଦ୍ୱାରା ନିର୍ମାଣ ସମୟରେ ଏବଂ ପ୍ରକଳ୍ପ ଶେଷ ହେବା ପରେ ମଧ୍ୟ ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ବିକାଶ, ଜୀବିକା ନିର୍ବାହ, ପାନୀୟ ଜଳ, କ୍ରୀଡ଼ା ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଗୁଡ଼ିକ ଉପରେ ଗୁରୁତ୍ୱ ଦେବା ସହ ଗୋଷ୍ଠୀ ବିକାଶ କ୍ଷେତ୍ରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଜାରି ରହିବ।

ସଫଳତାର ସହ ଏହି ଜନ ଶୁଣାଣିର ଆୟୋଜନ ହେବା, ପ୍ରସ୍ତାବିତ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି ଏବଂ ବିକଶିତ ଓଡ଼ିଶାର ଆକାଂକ୍ଷା ସହିତ ତାଳ ମିଳାଇ ସ୍ଥାୟୀ ଓ ପରିବେଶ ଅନୁକୂଳ ଶିଳ୍ପ ଅଭିବୃଦ୍ଧି ପ୍ରତି ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!