Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଜିଲ୍ଲା ସ୍ତରୀୟ ସର୍ଭାଇଭର ନେଟୱାର୍କ ବୈଠକ
ଢେଙ୍କାନାଳ,୩୦/୦୬: ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ “ଆକ୍ସେସ ଟୁ ଜଷ୍ଟିସ” ପ୍ରକଳ୍ପ ଅଧୀନରେ ଢେଙ୍କାନାଳ ବ୍ଲକ ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟସ୍ଥ ଜିଲ୍ଲା ସାମ୍ବାଦିକ ଭବନଠାରେ ଜିଲ୍ଲା ସ୍ତରୀୟ ସର୍ଭାଇଭର ନେଟୱାର୍କ ବୈଠକ ତା -୨୯/୦୬/୨୦୨୬ରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିଶୁ ଯୌନ ନିର୍ଯାତନା, ଅପହରଣ, ବାଲ୍ୟ ବିବାହ ଓ ଶିଶୁ ଚାଲାଣର ପୀଡ଼ିତ ଶିଶୁମାନଙ୍କ ସହ ମହର୍ଷି ଦୟାନନ୍ଦ ଆଶ୍ରମର ଶିଶୁମାନେ ମଧ୍ୟ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଆଭା ( just Right for Children) ସଂସ୍ଥାର କର୍ମକର୍ତ୍ତା ଶ୍ରୀ ରାକେଶ ମିଶ୍ର, ଜିଲ୍ଲା ଶିଶୁ ସହାୟକ କେନ୍ଦ୍ରର କର୍ମକର୍ତ୍ତା ଶ୍ରୀ ରୋଶନ କୁମାର ନନ୍ଦ ଏବଂ ବିଶ୍ୱ ଯୁବ କେନ୍ଦ୍ର, ଅନୁଗୋଳର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ପୂଜା ସ୍ୱାଇଁ ଅତିଥି ଭାବେ ଉପସ୍ଥିତ ଥିଲେ। ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ସୁମିତ୍ରା ସ୍ୱାଇଁ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଜିଲ୍ଲା ଶିଶୁ ସହାୟକ କେନ୍ଦ୍ରର ଶ୍ରୀ ରୋଶନ କୁମାର ନନ୍ଦ ୧୦୯୮ ଚାଇଲ୍ଡ ହେଲ୍ପଲାଇନ୍ ବିଷୟରେ ବିସ୍ତୃତ ସୂଚନା ଦେଇ ଆବଶ୍ୟକ ସମୟରେ କିପରି ଏହି ନମ୍ବରରେ ଯୋଗାଯୋଗ କରି ସହାୟତା ପାଇପାରିବେ ସେ ବିଷୟରେ ବୁଝାଇଥିଲେ। ସେ ଶିଶୁ ଅଧିକାର, ଶିକ୍ଷାର ଗୁରୁତ୍ୱ ଓ ବୃତ୍ତିଗତ ତାଲିମ ଗ୍ରହଣ କରି ସ୍ୱାବଲମ୍ବୀ ହେବା ପାଇଁ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।
ଅତିଥିମାନେ ଶିଶୁ ଚାଲାଣ, ଶିଶୁ ନିର୍ଯାତନା ସମ୍ବନ୍ଧୀୟ ଆଇନ, ଶିଶୁ ମଙ୍ଗଳ କମିଟିର ଭୂମିକା ଏବଂ ଆଇନଗତ ସହାୟତା ସମ୍ପର୍କରେ ଅଭିଭାବକ ଓ ଶିଶୁମାନଙ୍କୁ ସଚେତନ କରିଥିଲେ। ଏହା ସହ ବିଭିନ୍ନ ଆଇନଗତ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଆଭା ସଂସ୍ଥାର ଶ୍ରୀ ରାକେଶ ମିଶ୍ର ଶିଶୁମାନଙ୍କୁ ନିଜ ସୁରକ୍ଷା ପ୍ରତି ସଚେତନ ରହିବା, ଉତ୍ତମ ଶିକ୍ଷା ଗ୍ରହଣ କରିବା ଏବଂ ଜୀବନରେ ଏକ ସ୍ପଷ୍ଟ ଲକ୍ଷ୍ୟ ନେଇ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ।
ବୈଠକରେ ଉପସ୍ଥିତ ଶିଶୁମାନେ ନିଜ ଗ୍ରାମର ବିଭିନ୍ନ ସମସ୍ୟା ଓ ଅନୁଭୂତି ସମସ୍ତଙ୍କ ସହ ବାଣ୍ଟିଥିଲେ। ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ପୂଜା ସ୍ୱାଇଁ ୧୦୯୮ ହେଲ୍ପଲାଇନ୍‌ର ଗୁରୁତ୍ୱ, ନିଜ ସୁରକ୍ଷା ନିଜେ କିପରି ସୁନିଶ୍ଚିତ କରିବେ ଏବଂ ସଚେତନ ଜୀବନଯାପନର ବିଭିନ୍ନ ଉପାୟ ସରଳ ଭାଷାରେ ବୁଝାଇଥିଲେ। ଶିଶୁମାନଙ୍କ ମାନସିକ ବିକାଶ ଓ ମନୋରଞ୍ଜନ ପାଇଁ କିଛି ଖେଳର ମଧ୍ୟ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଶିଶୁମାନେ ନିଜ ମତାମତ ଓ ପ୍ରଶ୍ନ ଉପସ୍ଥାପନ କରିଥିଲେ, ଯାହାର ଉତ୍ତର ଅତିଥିମାନେ ସରଳ ଓ ବୋଧଗମ୍ୟ ଭାବରେ ପ୍ରଦାନ କରିଥିଲେ। ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଶିକ୍ଷା, ସୁରକ୍ଷା ଓ ଭବିଷ୍ୟତ ଉନ୍ନତି ପାଇଁ ବିଭିନ୍ନ ସରକାରୀ ଯୋଜନା, ଶ୍ରମ କାର୍ଡର ସୁବିଧା ଏବଂ ଅନ୍ୟାନ୍ୟ ସହାୟତା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।
ପରିଶେଷରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ସମସ୍ତ ଶିଶୁଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ପ୍ରକଳ୍ପ କାଉନସେଲର ଶ୍ରୀମତୀ ମନସ୍ମିତା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟିକା ଜୁଲି ସ୍ୱାଇଁ, କୁମୁଦିନୀ ସ୍ୱାଇଁ, ମାନମିତା ନାୟକ, ତପନ ପାତ୍ର, ସୁମିତ୍ରା ଦେହୁରୀ, ପୂର୍ଣ୍ଣିମା ସାହୁ, ବିଦୁଲତା ଭଞ୍ଜ ଏବଂ ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ସୁମିତ୍ରା ସ୍ୱାଇଁଙ୍କ ସହଯୋଗ ଉଲ୍ଲେଖନୀୟ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!