Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

## ସିପିସିବି ନିର୍ଦ୍ଦେଶକୁ ଫୁ’ : କ୍ଲୋଜର ନୋଟିସ୍‌ର ୫ ଦିନ ପରେ ବି ଚାଲିଛି ଶ୍ୟାମ ମେଟାଲିକ୍ସ ##

ସିପିସିବି ନିର୍ଦ୍ଦେଶକୁ ଫୁ’ : କ୍ଲୋଜର ନୋଟିସ୍‌ର ୫ ଦିନ ପରେ ବି ଚାଲିଛି ଶ୍ୟାମ ମେଟାଲିକ୍ସ
ରେଙ୍ଗାଲି: (JANTADARBAR)
ପ୍ରଦୂଷଣ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ ଏବଂ ପ୍ରଶାସନର ନିଷ୍କ୍ରିୟତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ କ୍ଲୋଜର ନୋଟିସ୍ ଜାରି ହେବାର ୫ ଦିନ ବିତି ଯାଇଥିଲେ ମଧ୍ୟ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟସ୍ଥ ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନା ଅବାଧରେ ଚାଲିଥିବା ଦେଖିବାକୁ ମିଳିଛି। ସିପିସିବିର କଡ଼ା ନିର୍ଦ୍ଦେଶକୁ ନା କାରଖାନା କର୍ତ୍ତୃପକ୍ଷ ଖାତିର କରୁଛନ୍ତି, ନା ସ୍ଥାନୀୟ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ଆଗ୍ରହ ଦେଖାଉଛି।
ଘଟଣାର ପୃଷ୍ଠଭୂମି:
ବାୟୁ ଓ ଜଳ ପ୍ରଦୂଷଣ, ବେଆଇନ ପାଉଁଶ ପରିବହନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତି ଅଭାବରୁ ଗତ ମାର୍ଚ୍ଚ ୩୦ ତାରିଖରେ ସିପିସିବି ପକ୍ଷରୁ ଏହି କାରଖାନାକୁ ବନ୍ଦ କରିବା ପାଇଁ ନୋଟିସ୍ ଦିଆଯାଇଥିଲା। ଏହି ଚିଠି ରାଜ୍ୟ ମୁଖ୍ୟ ଶାସନ ସଚିବ, ପରିବେଶ ସଚିବ ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ସମେତ ୯ ଜଣ ବରିଷ୍ଠ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସିପିସିବି ଅଧ୍ୟକ୍ଷ ବୀର ବିକ୍ରମ ସିଂ ଯାଦବ ସ୍ପଷ୍ଟ କରିଥିଲେ ଯେ, କେନ୍ଦ୍ରୀୟ ବୋର୍ଡର ଲିଖିତ ଅନୁମତି ବିନା କାରଖାନା ପୁନଃ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ।
ବାରମ୍ବାର ନିୟମ ଉଲ୍ଲଙ୍ଘନ:
* ଅଗଷ୍ଟ ୨୦୨୪: ସିପିସିବି ଟିମ୍ ପରିଦର୍ଶନ କରି ୨୬ଟି ପ୍ରଦୂଷଣ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
* ଫେବୃଆରୀ ୨୦୨୫: ପୁନଃ ପରିଦର୍ଶନ ବେଳେ କୌଣସି ସଂସ୍କାର ହୋଇନଥିବା ଜଣାପଡିଥିଲା।
* ଜୋରିମାନା: ବେଆଇନ ପାଉଁଶ ଡମ୍ପିଂ ପାଇଁ କାରଖାନା ଉପରେ ୨୦୦ କୋଟି ଟଙ୍କାର ଜୋରିମାନା ହୋଇଥିଲେ ସୁଦ୍ଧା କମ୍ପାନୀ କାଣି କଉଡ଼ିଟିଏ ମଧ୍ୟ ଦେଇନାହିଁ।
* ଜଳଭଣ୍ଡାର ଜବରଦଖଲ: ହୀରାକୁଦ ଜଳଭଣ୍ଡାରର ପ୍ରାୟ ୩୭ ଏକର ଜମିକୁ ବେଆଇନ ଭାବେ ଜବରଦଖଲ କରିବା ସହ ବିଷାକ୍ତ ବର୍ଜ୍ୟ ଜଳ ନିଷ୍କାସନ କରୁଥିବା ଅଭିଯୋଗ ହୋଇଛି।
ପ୍ରଶାସନର ନୀରବତା ଉପରେ ପ୍ରଶ୍ନ:
ଶ୍ୟାମ ମେଟାଲିକ୍ସକୁ ପୂର୍ବରୁ ୭ ଥର କ୍ଲୋଜର ନୋଟିସ୍ ଦିଆଯାଇଥିଲେ ବି ଏହା କେବେ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଲୋକଦେଖାଣିଆ ଭାବେ କିଛି ଦିନ ବନ୍ଦ ରଖି ପୁଣି କାରଖାନା ଚଲାଯାଉଛି। କେନ୍ଦ୍ରୀୟ ବୋର୍ଡର ନିର୍ଦ୍ଦେଶକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କାହିଁକି କଡ଼ାକଡ଼ି ଭାବେ ଲାଗୁ କରୁନାହାନ୍ତି, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରେଙ୍ଗାଲି ଅଞ୍ଚଳକୁ ପ୍ରଦୂଷଣର ବିଷବଳୟ ମଧ୍ୟକୁ ଠେଲି ଦେଇ କାରଖାନା କର୍ତ୍ତୃପକ୍ଷ ନିଜର ଲାଭ ଖୋଜୁଥିବା ବେଳେ ପ୍ରଶାସନର ନୀରବତା ରହସ୍ୟଜନକ ମନେହେଉଛି।
#JANTADARBAR NEWS#PollutionAlert #ShyamMetallics #CPCB #OdishaPollution #HirakudDam #EnvironmentalCrisis #BreakingNewsOdisha

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!