ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ ।
ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ । ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ୧୦,୧୩୪ ଶିଶୁ । ଢ଼େଙ୍କାନାଳ, ତା. ୪.୪. ୨୦୨୬- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସାରା ରାଜ୍ୟରେ ବିଦ୍ୟାଳୟରେ ଶିଶୁମାନଙ୍କ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ପି.ଏମ. ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚ଼ନ୍ଦ୍ର ପାତ୍ର ଯୋଗ ଦେଇ, ଶିଶୁମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କର ବିଦ୍ୟାରମ୍ଭ କରିଥିଲେ। ବିଦ୍ୟା ମହାଧନ ଅଟେ, ସମସ୍ତଙ୍କୁ ଶିକ୍ଷା ପ୍ରଦାନକରିବା ଆମର ଲକ୍ଷ୍ୟ ହେବା ଉଚ଼ିତ ବୋଲି ପ୍ରକାଶ କରିଥିଲେ । ଶିକ୍ଷିତ ମାନେ ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିିବେ । ସମସ୍ତେ ଶିକ୍ଷିତ ହେଲେ ଜ୍ଞାନ ଓ ବିଜ୍ଞାନର ଦ୍ରୁତ ବିକାଶ ହେବ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ । ସାର୍ବଜନୀକ ଶିକ୍ଷା ନିମନ୍ତେ ସରକାର ସଂକଳ୍ପବଦ୍ଧ, ଏଥି ନିମନ୍ତେ ଗୁରୁଜୀମାନଙ୍କ ଦାୟୀତ୍ବ ଖୁବ ଅଧିକ । ପଢ଼ିଲେ ଜାଣିବା, ଜାଣିଲେ ଜିଣିବା ବୋଲି ମତବ୍ୟକ୍ତ କରି ମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅତିଥିମାନେ ଶିଶୁମାନଙ୍କୁ ଖଡ଼ି ଛୁଆଁଇ ବିଦ୍ଯାରମ୍ଭ କରାଇଥିଲେ । ଏହି ଅବସରରେ ଏକ ସଚ଼େତନତା ପ୍ରଚାର ରଥକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚ଼ନ୍ଦ୍ର ପାତ୍ର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ସାହୁ ପ୍ରମୂଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିସରରେ ହୋଇଥିବା ରଙ୍ଗର ଦୂନିଆ, ଗପ ରାଇଜ ଓ ଖେଳଘର ଷ୍ଟଲକୁ ଅତିଥି ମାନେ ପରିଦର୍ଶନ କରିଥିଲେ । ଜିଲ୍ଲାରେ ଶିଶୁ ବାଟିକାରେ ୮,୭୮୨ ଜଣ ଏବଂ ପ୍ରଥମ ଶ୍ରେଣୀରେ ୧,୩୫୨ ଜଣ, ସମୁଦାୟ ୧୦,୧୩୪ ଜଣ ଶିଶୁଙ୍କର ନାମ ଲେଖାଯିବ ବୋଲି ଜଣାଯାଇଛି । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

