##ଗଁଦିଆ ( କପିଳାସ) ନିର୍ବାଚନ ମଣ୍ଡଳୀ – ଆମର ଦାବି – ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ##

ଗଁଦିଆ ( କପିଳାସ) ନିର୍ବାଚନ ମଣ୍ଡଳୀ – ଆମର ଦାବି
– ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ
ପ୍ରିୟ ବନ୍ଧୁଗଣ
ସପ୍ରେମ ନମସ୍କାର,
ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତ ସରକାର ଲୋକ ସଭା ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ (Delimitation) ଓ ମହିଳା ଆରକ୍ଷଣ ସମ୍ବନ୍ଧୀୟ ବିଲ୍କୁ ଅନୁମୋଦନ କରିବାକୁ ଯାଉଛନ୍ତି। ଏହା ଆମ ପାଇଁ ଏକ ଐତିହାସିକ ସୁଯୋଗ ଆଣିଦେଇଛି।
ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ମନେ ପକାଇବା ଆବଶ୍ୟକ ଯେ ୨୦୦୭ ମସିହାରେ ଚକ୍ରାନ୍ତପୂର୍ବକ ପୁରୁଣା ୧୧୯-ଗଁଦିଆ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବିଲୁପ୍ତ କରାଯାଇ ତାହାକୁ ୫୫-ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ସହିତ ମିଶାଯାଇଥିଲା। ସେଥିସହିତ ପୁରୁଣା ଗଁଦିଆ ନିର୍ବାଚନ ମଣ୍ଡଳୀର ୯ ଟି ଗ୍ରାମ ପଞ୍ଚାୟତକୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସହିତ ଯୋଡ଼ାଯାଇଥିଲା। ଏହି ସମୟରେ ଅଞ୍ଚଳର ଭୌଗୋଳିକ, ସାମାଜିକ ଓ ପ୍ରଶାସନିକ ପରିସ୍ଥିତିକୁ ଅବହେଳା କରାଯାଇଥିଲା।
ସେହି ସମୟରେ ଆମେ ଏହାର ଘୋର ପ୍ରତିବାଦ କରିଥିଲୁ—ଦିଲ୍ଲୀରେ ନିର୍ବାଚନ କମିଶନ କାର୍ଯ୍ୟାଳୟ ଘେରାଉ କରିବା ସହିତ ସମ୍ବଲପୁରରେ ହୋଇଥିବା ଜନଶୁଣାଣିରେ ଆମ ମତ ରଖିଥିଲୁ, କିନ୍ତୁ ତାହା ଫଳପ୍ରଦ ହୋଇନଥିଲା।
ବର୍ତ୍ତମାନ ପୁନର୍ଗଠନ ପ୍ରକ୍ରିୟାରେ ଓଡ଼ିଶାରେ ଆହୁରି ସାଂସଦ ସିଟ ବୃଦ୍ଧି ଓ ପ୍ରାୟ ୬୩ଟି ନୂତନ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନର ସମ୍ଭାବନା ରହିଛି। ପ୍ରତ୍ୟେକ ନୂତନ ମଣ୍ଡଳୀ ପ୍ରାୟ ୨ ଲକ୍ଷ ଜନସଂଖ୍ୟାକୁ ଆଧାର କରି ଗଠିତ ହେଵାର ପ୍ରସ୍ତାବ ଅଛି ।
ଏହା ଆମ ପୁରୁଣା ଗଁଦିଆ ନିର୍ବାଚନ ମଣ୍ଡଳୀକୁ ପୁନର୍ଗଠନ କରିବା ପାଇଁ ସୁଯୋଗ ସୃଷ୍ଟି କରିଛି।
ଏହା ସହିତ, ଗଁଦିଆ ଅଞ୍ଚଳରେ ନୂତନ NAC (Notified Area Council) ଘୋଷଣା ହୋଇଛି, ଯାହା ପୁରୁଣା ପୋରୁହଖୋଜ ଓ ଗଁଦିଆ ଗ୍ରାମ ପଞ୍ଚାୟତ ସହିତ ବିଧାରପୁର ଓ ମଠତେନ୍ତୁଳିଆ ଗ୍ରାମ ପଞ୍ଚାୟତର କିଛି ଅଂଶକୁ ମିଶାଇ 15ଟି ୱାର୍ଡରେ ଗଠିତ ହୋଇଛି। ଏହା ଗଁଦିଆ ଅଞ୍ଚଳର ବୃଦ୍ଧିଶୀଳ ଜନସଂଖ୍ୟା, ସହରୀକରଣ ଓ ପ୍ରଶାସନିକ ଗୁରୁତ୍ୱକୁ ପ୍ରମାଣ କରୁଛି।
ଏହାଛଡ଼ା, ବର୍ତ୍ତମାନ କାମାକ୍ଷାନଗର ମଣ୍ଡଳୀରେ ଥିବା ନିମ୍ନଲିଖିତ ଗ୍ରାମ ପଞ୍ଚାୟତ ଗୁଡ଼ିକ ଭୌଗୋଳିକ ଭାବେ ଗଁଦିଆ ସହିତ ସମ୍ପୃକ୍ତ ଅଟେ :
ବଣସିଂହ, ରଧାଦେଇପୁର, ତରଭା, ନୁଆଗାଁ, ସୋଗରପଶି, ଚାଉଳିଆ, ବରଦା, ଗେଙ୍ଗୁଟିଆ, ସାଙ୍କୁଲେଇ
ଏବଂ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ନିମ୍ନଲିଖିତ ଗ୍ରାମ ପଞ୍ଚାୟତ ଗୁଡ଼ିକ ମଧ୍ୟ ଗଁଦିଆ ଅଞ୍ଚଳ ସହିତ ସଂଲଗ୍ନ:
କାଇମାଟି, ବେଲଟିକିରି, ନାଗିଆପଶି, କାଙ୍କଡପାଳ, ଶୁଖାଇକାଟେଣୀ ପଞ୍ଚାୟତ
ଏହିପରି ସମସ୍ତ ତଥ୍ୟ ଓ ଯୁକ୍ତିକୁ ଆଧାର କରି ଆମେ ସମସ୍ତେ ଦଳମତ ଉପରେ ଉଠି ଆମର ନ୍ୟାୟସଂଗତ ଦାବି—“ଗଁଦିଆ (କପିଳାସ) ବିଧାନସଭା ନିର୍ବାଚନ ମଣ୍ଡଳୀ” ପୁନର୍ଗଠନ—ପାଇଁ ଏକତ୍ରିତ ହେବା ଆବଶ୍ୟକ।
ଇତି
ଆବାହକ ବୃନ୍ଦ
ଆପଣଙ୍କର ବିଶ୍ୱସ୍ତ
ନବିନ ନନ୍ଦ, ପୂର୍ବତନ ବିଧାୟକ
ସଭାପତି, ଢ଼େଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ।