Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

##ନିପଟ ମଫସଲରୁ ବାହାରି ଜାତୀୟସ୍ତରୀୟ ମଞ୍ଚରେ ଚମକିଲେ ସୌମ୍ୟ##

ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଭଲିବଲ୍‌ ରେ ହାସଲ କରିଛନ୍ତି ଉଲ୍ଲେଖନୀୟ ସଫଳତା

ନିପଟ ମଫସଲରୁ ବାହାରି ଜାତୀୟସ୍ତରୀୟ ମଞ୍ଚରେ ଚମକିଲେ ସୌମ୍ୟ

– ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଭଲିବଲ୍‌ ରେ ହାସଲ କରିଛନ୍ତି ଉଲ୍ଲେଖନୀୟ ସଫଳତା

୨୩ ଏପ୍ରିଲ, ୨୦୨୬- ଢେଙ୍କାନାଳ ଜିଲ୍ଲାର ଏକ ନିପଟ ମଫସଲ ଗାଁ ‘ଚରଡଗାଡ଼ିଆ’। ଦୃଢ଼ ପ୍ରଚେଷ୍ଠା, କଠିନ ପରିଶ୍ରମ ଓ ବାପାଙ୍କର ଅଧୁରା ସ୍ୱପ୍ନ ପୂରଣ କରିବା ଲକ୍ଷ୍ୟରେ ସେହି ମଫସଲରୁ ବାହାରି ଜାତୀୟସ୍ତରର ମଞ୍ଚରେ ପହଞ୍ଚି ପାରିଛନ୍ତି ସୌମ୍ୟରଞ୍ଜନ ସାମଲ। ମାତ୍ର ୧୭ ବର୍ଷ ବୟସରେ ସେ ଯେଉଁ ସଫଳତା ହାସଲ କରିଛନ୍ତି, ସେଥିପାଇଁ ଆଜି ପୂରା ରାଜ୍ୟ ଗର୍ବିତ। ଆଉ ତାଙ୍କର ଏ ସଫଳତାର ଯାତ୍ରାରେ ସବୁବେଳେ ସହଯୋଗ କରିଆସିଛି ଟାଟା ଷ୍ଟିଲ ଫାଉଣ୍ଡେସନ।

ଭଲିବଲ୍ ପ୍ରତି ସୌମ୍ୟଙ୍କର ପିଲାଟି ବେଳୁ ଆଗ୍ରହ ରହିଥିଲା। କୌଣସି ଅନୁଷ୍ଠାନ ନୁହେଁ, ବରଂ ନିଜ ଘରୁ ହିଁ ଆରମ୍ଭ ହୋଇଥିଲା ପ୍ରଶିକ୍ଷଣ। ସୌମ୍ୟଙ୍କ ବାପା ପ୍ରଶାନ୍ତ ସାମଲ ଜଣେ ପୂର୍ବତନ ଭଲିବଲ୍ ରାଜ୍ୟସ୍ତରୀୟ ଖେଳାଳି। ପୁଅର ଇଚ୍ଛାକୁ ଜାଣିବା ପରେ ସୌମ୍ୟଙ୍କ ଅଭ୍ୟାସ ପାଇଁ ତାଙ୍କ ବାପା ଏକ ଛୋଟ ସ୍ଥାନ ପ୍ରସ୍ତୁତ କରିଥିଲେ।

୨୦୨୩ ମସିହାରେ ସୌମ୍ୟ ପାଇକପୁରଣକୋଟ ସ୍ଥିତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଯୁବ ବିକାଶ କେନ୍ଦ୍ରରେ ଅଭ୍ୟାସ କରିବା ପାଇଁ ପ୍ରତିଦିନ ପ୍ରାୟ ୪୦ କିଲୋମିଟର ସାଇକେଲ ଚଳାଇ ଯା’ଆସ କରୁଥିଲେ। ସେ ସୁବିଧା ଅପେକ୍ଷା କଠିନ ପରିଶ୍ରମକୁ ବାଛିଥିଲେ ଏବଂ ସ୍କୁଲ ପରୀକ୍ଷା ଏବଂ ସ୍ଥାନୀୟ ପ୍ରତିଯୋଗିତାର ଚାପ ସତ୍ତ୍ୱେ ତାଙ୍କର ଏହି ନିରନ୍ତର ସଂଘର୍ଷ ଜାରି ରହିଥିଲା। ବିଭିନ୍ନ ବିଦ୍ୟାଳୟ ଓ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ତାଙ୍କ ପ୍ରଦର୍ଶନ ଧୀରେ ଧୀରେ ଚର୍ଚ୍ଚାର ବିଷୟ ପାଲଥିଲା। ରାଜ୍ୟସ୍ତରୀୟ ଟ୍ରାଏଲ୍ ସମୟରେ ସୌମ୍ୟଙ୍କ ଉନ୍ନତ ପ୍ରଦର୍ଶନ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ନିୟୋଜିତ କୋଚ୍ ଆଶୁତୋଷ ପାତ୍ରଙ୍କ ମନ ମୋହିଥିଲା। ରାଜ୍ୟସ୍ତରୀୟ ଟିମ୍ ସହ ବାଲେଶ୍ୱର ଗସ୍ତ କରିଥିଲେ ବି ସେଠାରେ ଖେଳିବାର ସୁଯୋଗ ମିଳି ନଥିଲା। ହେଲେ ସେ ଏଥିରେ ନିରାଶ ନ ହୋଇ ମନୋବଳକୁ ଆହୁରି ଦୃଢ଼ କରିଥିଲେ।

ଏ ସମ୍ପର୍କରେ ସୌମ୍ୟଙ୍କ ବାପା ପ୍ରଶାନ୍ତ କହିଛନ୍ତି, ସୌମ୍ୟର ପ୍ରଶିକ୍ଷଣ ପାଇଁ ଆମ ପାଖରେ ସୁବିଧା କମ୍ ଥିଲା, କିନ୍ତୁ ତା’ର ନିଷ୍ଠା ଆଜି ତାକୁ ସଫଳତା ଦେଇଛି। ଦୂରତା ବା ବାଧାବିଘ୍ନ ତାକୁ କେବେ ଅଟକାଇ ପାରିନି।

କୋଚ୍ ଆଶୁତୋଷ ପାତ୍ରଙ୍କ ମାର୍ଗଦର୍ଶନରେ ସୌମ୍ୟଙ୍କ ଖେଳରେ ବ୍ୟାପକ ସୁଧାର ଆସିଲା। ଜିଲ୍ଲାସ୍ତରରୁ ଆରମ୍ଭ କରି ସେ ଖୁବ୍ କମ୍ ବୟସରେ ଜିଲ୍ଲା ବରିଷ୍ଠ ଦଳରେ ସ୍ଥାନ ପାଇଲେ।

୨୦୨୫ ମସିହାରେ ତିରୁବନନ୍ତପୁରମ୍‌ସ୍ଥିତ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଜାତୀୟ ଉତ୍କର୍ଷ କେନ୍ଦ୍ର ପାଇଁ ସୌମ୍ୟ ମନୋନିତ ହୋଇଥିଲେ। ସେହି ବର୍ଷ ସେ ଓଡ଼ିଶା ପାଇଁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ରାଜସ୍ଥାନରେ ଅନୁଷ୍ଠିତ କନିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିୟନସିପ୍‌ରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଦଳର ଅଧିନାୟକ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।

ଏ ସମ୍ପର୍କରେ ସୌମ୍ୟ କହିଛନ୍ତି, ଯେତେବେଳେ ମୁଁ ଏହି ଯାତ୍ରା ଆରମ୍ଭ କରିଥିଲି, ମୋ ପାଖରେ ବିଶେଷ ସୁବିଧା ସୁଯୋଗ ନଥିଲା। କିନ୍ତୁ ସମୟକ୍ରମେ ମୁଁ ସଠିକ୍ ମାର୍ଗଦର୍ଶନ ଓ ସହଯୋଗ ପାଇଲି। ସେଇ ସାହାଯ୍ୟ ହିଁ ମତେ ଆଗକୁ ବଢ଼ିବାରେ ସାହାଯ୍ୟ କଲା। ମୋ ଗାଁରେ ଏବେବି ଖେଳକୁ ବହୁତ କମ୍ ଲୋକ ଭବିଷ୍ୟତ ଗଢ଼ିବାର ମାଧ୍ୟମ ଭାବେ ଗ୍ରହଣ କରନ୍ତି। ଯଦି ମୋର ଏହି ଯାତ୍ରା ଅନ୍ୟ କାହା ପାଇଁ ପ୍ରେରଣା ହୁଏ, ତେବେ ମୁଁ ନିଜକୁ ଧନ୍ୟ ମନେ କରିବି।”

ସୌମ୍ୟଙ୍କର ଏହି ଯାତ୍ରା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ। ଜୁଲାଇ ୨୦୨୬ରେ ଚୀନ୍‌ର ସାଙ୍ଗଲୁଓଠାରେ ହେବାକୁ ଥିବା ‘ଅଣ୍ଡର-୧୮ ୱାର୍ଲ୍ଡ ସ୍କୁଲ୍ ଭଲିବଲ୍ ଚାମ୍ପିଅନସିପ୍‌’ ପାଇଁ ସେ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।

ତାଙ୍କ ସଫଳତା ସମ୍ପର୍କରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ମେରାମଣ୍ଡଳୀ ୟୁନିଟ୍ ହେଡ୍ କୁମାର ସୌରଭ କହନ୍ତି, “ଆମର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ପ୍ରତିଭାଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା। ସୌମ୍ୟଙ୍କ ସଫଳତା ପ୍ରମାଣ କରୁଛି ଯେ, ସଠିକ୍ ସୁଯୋଗ ପାଇଲେ ଗାଁର ପିଲାମାନେ ମଧ୍ୟ ବିଶ୍ୱସ୍ତରରେ ପହଞ୍ଚିପାରିବେ।’

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!